TOP STORIESରାଜ୍ୟ

ସେତୁ ନିର୍ମାଣ ବେଳେ ଅଘଟଣ

ସେତୁ ନିର୍ମାଣ ବେଳେ ଅଘଟଣ

  • କ୍ରେନ୍‌ ଭାଙ୍ଗି ତିନି ମୃତ
  • କାଠଯୋଡ଼ି ରିଂ ବନ୍ଧ ସେତୁ ନିର୍ମାଣ ବେଳେ ଅଘଟଣ
  • ଦୁଇ ଜଣ ଇଂଜିନିୟର ଓ ଜଣେ ସୁପରଭାଇଜର୍‌ଙ୍କ ମୃତ୍ୟୁ ଘଟିଛି

କଟକ/ଭୁବନେଶ୍ୱର୦୪.୦୫.୨୦୨୫ (ଏସ .ଏମ ) : କାଠଯୋଡ଼ି ରିଂ ବନ୍ଧର ସଂପ୍ରସାରଣ ପାଇଁ ନଈ ଭିତରେ ସେତୁ ନିର୍ମାଣ କାମ ଚାଲିଥିବା ବେଳେ ଘଟିଛି ଅଘଟଣ। କ୍ରେନ୍ ଭାଙ୍ଗି ଦୁଇ ଜଣ ଇଂଜିନିୟର ଓ ଜଣେ ସୁପରଭାଇଜର୍‌ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ଣ ସାଢ଼େ ପାଞ୍ଚଟା ସମୟରେ ଅରୁଣୋଦୟନଗର ଗଡ଼ାର ଅପରପାର୍ଶ୍ବରେ ନଈ ଭିତରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଠିକାସଂସ୍ଥା ଆର୍‌କେଡି ସେତୁ ଉପରେ ପାଖାପାଖି ୯୦ ଫୁଟ ଲମ୍ବର ସ୍ଲାବ୍ ଖଞ୍ଜିବା ପାଇଁ ଦୁଇଟି କ୍ରେନ୍ ଲଗାଇଥିଲା। କ୍ରେନ୍‌ ଦୁଇଟି ସ୍ଲାବ ଉଠାଉଥିବା ବେଳେ ଗୋଟିକର ହାଇଡ୍ରୋଲିକ୍‌ ସଂଯୋଗ ଛିଣ୍ଡି ଯାଇଥିଲା। ଫଳରେ କ୍ରେନ୍‌ର ଲୁହା ଆଙ୍ଗେଲ୍ ମାଡ଼ରେ ସେଠାରେ ନିୟୋଜିତ ଥିବା ଇଂଜିନିୟର ଓ ଶ୍ରମିକ ଅଘଟଣର ଶିକାର ହୋଇଥିଲେ। କ୍ରେନ୍‌ର ଆର୍ମ କୁହାଯାଉଥିବା ଲମ୍ବା ଲୁହା ଅଂଶ କାଠଯୋଡ଼ି ଭିତରକୁ ଛିଟିକି ପଡ଼ିଛି। ଉପରକୁ ଉଠାଯାଉଥିବା ସ୍ଲାବ୍‌ଟି ମଧ୍ୟ ଦୁଇ ଖଣ୍ଡ ହୋଇଯାଇଛି। ସେହି ସମୟରେ ୭ ଜଣ ଶ୍ରମିକ ଓ ଇଂଜିନିୟର କାମ କରୁଥିବା କୁହାଯାଉଛି।ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଇଂଜିନିୟର ସୌମ୍ୟରଞ୍ଜନ ମଲ୍ଲିକ, ଇଂଜିନିୟର ଶିବଶଙ୍କର ପଟ୍ଟନାୟକ ଓ ସୁପରଭାଇଜର ସୁବାସ ଚନ୍ଦ୍ର ଭକ୍ତଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟରଞ୍ଜନଙ୍କ ଘର ବାଲେଶ୍ବର ହୋଇଥିବା ବେଳେ ସୁବାସଙ୍କ ଘର ପଶ୍ଚିମବଙ୍ଗ ଓ ଶିବଶଙ୍କର କଟକର ବାସିନ୍ଦା। ସମସ୍ତ ମୃତକଙ୍କ ବୟସ ୩୦ ପାଖାପାଖି ହେବ ବୋଲି କୁହାଯାଉଛି। ଏହି ଘଟଣାରେ ଆହତ ଅରୁଣ ବାରିକ ଓ ବିକଳ ଜେନାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅରୁଣଙ୍କ ଘର ପୁରୀ ଓ ବିକଳ ଜେନାଙ୍କର ଘର ଆଠଗଡ଼ରେ।

କଟକ ବଡ଼ଡାକ୍ତରଖାନାରେ ଆଉ ୨ ଗୁରୁତର
ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲେ ମନ୍ତ୍ରୀ
ଜିଲ୍ଲାପାଳ ବି ଗଠନ କଲେ ୩ ଜଣିଆ ଟିମ୍‌
ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମେୟର ସୁବାସ ସିଂହ, ବିଧାୟକ ସୌଭିକ ବିଶ୍ବାଳ, ବିଧାୟକ ସୋଫିଆ ଫିରଦୋସ, ବିଧାୟକ ପ୍ରକାଶ ସେଠୀ ପ୍ରମୁଖ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଅନ୍ୟପଟେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଧାୟକ ସୋଫିଆ ଫିରଦୋସ, ବିଧାୟକ ସୌଭିକ ବିଶ୍ବାଳ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଘଟଣାର ତଦନ୍ତ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ନେତୃତ୍ବରେ ୩ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବ। ଆହତମାନଙ୍କ ସବୁ ପ୍ରକାର ଚିକିତ୍ସା ଦାୟିତ୍ବ ସରକାର ବହନ କର‌ିବେ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଅନ୍ୟପ‌ଟେ କଟକ ସଦର ଉପଜିଲ୍ଲାପାଳ, ଆର୍‌ ଆଣ୍ଡ ବି-୨ ଅଧୀକ୍ଷଣ ଯନ୍ତ୍ରୀ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନେଇ ଗଠିତ କମିଟି ଘଟଣାର ତଦନ୍ତ କରି ୭ ଦିନ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *