ଦେଶ- ବିଦେଶବାଣିଜ୍ୟମନୋରଞ୍ଜନରାଜନୀତିରାଜ୍ୟ

ପର୍ଯ୍ୟଟନ ବିକାଶରେ ସ୍ଥାନ ପାଇଲାନି ‘ଛେଙ୍ଗାପାହାଡ଼’

ପର୍ଯ୍ୟଟନ ବିକାଶରେ ସ୍ଥାନ ପାଇଲାନି ‘ଛେଙ୍ଗାପାହାଡ଼’

ଦେଶର ବିରଳ ଭୂଐତିହ୍ୟ ସଂରକ୍ଷଣ ଓ ସୁରକ୍ଷା ପ୍ରତି ନିଘା ନାହିଁ

ସୁନ୍ଦରଗଡ଼/ଭୁବନେଶ୍ୱର ୦୬-୦୫-୨୦୨୫(ଏସ .ଏମ ) :(ବିଜୟ କୁମାର ପଣ୍ଡା)  ଦୁଇ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲାରେ ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଠାବ କରିଥିଲା ଏକ ବିସ୍ମୟକର ଭୂ-ଐତିହ୍ୟ (ଜିଓ ହେରିଟେଜ୍‌) ଛେଙ୍ଗାପାହାଡ଼। ହେଲେ ଏହି ବିରଳ ଭୂ-ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପ୍ରତି କାହାର ନିଘା ନାହିଁ। ଏପରିକି ଗତ ମାର୍ଚ୍ଚ ୧୩ରେ ଜିଲ୍ଲାପାଳ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଜିଲ୍ଲାର ୨୭ଟି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ୫୮.୮୩ କୋଟିର ଯେଉଁ ଅନୁମୋଦନ ପ୍ରସ୍ତାବ ପଠାଇଛନ୍ତି, ସେଥିରେ ଛେଙ୍ଗାପାହାଡ଼ର ନାଁ ନାହିଁ। ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ କନିକା ବ୍ରାହ୍ମଣୀ ଗାଁ ନିକଟରେ ଠାବ ହୋଇଥିବା ଛେଙ୍ଗାପାହାଡ଼ର ବୟସ ୧୮୪ରୁ ୧୬୦ ମିଲିୟନ୍‌ ବର୍ଷ ବୋଲି ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଆକଳନ କରିବା ସହ ଦେଶର ୯୦ଟି ବିରଳ ଭୂ-ଐତିହ୍ୟରେ ଏହା ସାମିଲ ହୋଇଥିବା ପ୍ରକାଶ କରିଥିଲା। ଏହି ବିରଳ ଐତିହ୍ୟର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବ ବୋଲି ସେ‌ତେବେଳେ ବନ ବିଭାଗ କହିଥିଲା। ୨୦୨୩ ଜୁନରେ ବ୍ରାହ୍ମଣୀ ଗାଁରେ ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଓଡ଼ିଶା ରାଜ୍ୟ ୟୁନିଟ୍‌ ଉପମହାନିର୍ଦ୍ଦେଶକ ଡ. ଏସ.ସି. ମିତ୍ର, ନିର୍ଦ୍ଦେଶକ ଡ. ଅସିତ ସ୍ବାଇଁ, ଅନ୍ୟତମ ନିର୍ଦ୍ଦେଶକ କାହ୍ନୁଚରଣ ଦାସ ଓ ଜୟଦୀପ ମୁଖାର୍ଜୀଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକମାନଙ୍କୁ କିପରି ଏହି ଐତିହ୍ୟର ସୁରକ୍ଷା କରାଯାଇପାରିବ, ସେ ସଂପର୍କରେ ସଚେତନ କରିଥିଲା ବିଭାଗ। ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଆବିଷ୍କାର ଓ ବନ ବିଭାଗର ସଚେତନତା କାର୍ଯ୍ୟକ୍ରମକୁ ଏହାମଧ୍ୟରେ ଦୁଇ ବର୍ଷେ ବିତିବ। କିନ୍ତୁ ଏଯାଏଁ ତାର ସଂରକ୍ଷଣ ଓ ସୁରକ୍ଷା ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଏପରି ଏକ ବିରଳ ଭୂ-ଐତିହ୍ୟ ପ୍ରତି ଜିଲ୍ଲା ପ୍ରଶାସନର ଉଦାସୀନତା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଖଣିଜ ସମ୍ପଦ ଥିବା ଅଞ୍ଚଳରେ ଭୂତତ୍ତ୍ବ-ଐତିହ୍ୟ ଓ ଭୂତତ୍ତ୍ବ ଧ୍ବଂସାବଶେଷର ସର୍ବେକ୍ଷଣ ସହ ଏଗୁଡ଼ିକର ସଂରକ୍ଷଣ, ରକ୍ଷଣାବେକ୍ଷଣ ତଥା ଏହାର ଅଧ୍ୟୟନ, ଗବେଷଣା, ପ୍ରାକୃତିକ କୀର୍ତ୍ତି ଓ ସାଂସ୍କୃତିକ ଗୌରବ ଭାବେ ଲୋକଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ୨୦୧୭ରୁ ଇବ୍‌ ଭ୍ୟାଲିରେ ସଂସ୍ଥା ଏହାର ସର୍ବେକ୍ଷଣ କରି ହେମଗିର ବ୍ଲକ୍ ହେମଗିର-କନିକା ମୁଖ୍ୟରାସ୍ତାରୁ ପ୍ରାୟ ୫ କିଲୋମିଟର ପାଦଚଲା ଜଙ୍ଗଲ ରାସ୍ତାରେ ବ୍ରାହ୍ମଣୀ ଗାଁ ପାଖ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହାର ସନ୍ଧାନ ପାଇଥିଲା। ବିଶାଳ ପାହାଡ଼ ବକ୍ଷରେ ଥିବା ଏହି ଭୂ-ଐତିହ୍ୟ ଲୋକମୁଖରେ ‘ଛେଙ୍ଗା ପାହାଡ଼’ ନାମରେ ପରିଚିତ। ପାହାଡ଼ ଶିଖରରେ ଚାନ୍ଦୁଆ ବା ତୋରଣ ସଦୃଶ ପଥରର ଆକର୍ଷଣୀୟ ଆକୃତି ରହିଛି। ଯାହାର ଉଚ୍ଚତା ୧୨ ମିଟର ଓ ବ୍ୟାସାର୍ଦ୍ଧ ୩୦ ମିଟର। ପ୍ରାକୃତିକ ପ୍ରକ୍ରିୟାରେ ଗଠନ ହୋଇଥିବା ଏହି ପାହାଡ଼ର ଆକୃତିକୁ ଦେଖି ସ୍ଥାନୀୟ ଲୋକେ ଏହାକୁ ଛେଙ୍ଗା ପାହାଡ଼ ନାଁ ଦେଇଥିଲେ। ତୋରଣ ସଦୃଶ ଏହି ପଥର ବକ୍ଷରେ ରହିଛି ଭୂତତ୍ତ୍ବର ଅନେକ ନୂଆ ତଥ୍ୟ। ପାହାଡ଼ରୁ ଜଙ୍ଗଲର ଉଭୟ ପଟ ଅତି ସହଜରେ ଦୃଶ୍ୟମାନ ହୋଇଥାଏ। ‌

ଏଠାକୁ ପହଞ୍ଚିବା ମାତ୍ରେ ସବୁଜ ଜଙ୍ଗଲର ଶୀତଳ ପବନ ସାଙ୍ଗକୁ ଅତି ଉଚ୍ଚରୁ ସବୁଜ ବନାନୀର ମନଲୋଭା ଦୃଶ୍ୟ ଅବଲୋକନ କରି ହୋଇଥାଏ। ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ସର୍ବେକ୍ଷଣ ସମୟରେ ଜଣାପଡ଼ିଥିଲା, ସେହି ଯୁଗରେ ଏହି ପୂରା ଅଞ୍ଚଳ ଜଳମଗ୍ନ ଥିଲା। ଛେଙ୍ଗା ପାହାଡ଼ ମଧ୍ୟ ଦେଇ ପ୍ରଖର ଜଳସ୍ରୋତ ପ୍ରବାହିତ ହେବା ଯୋଗୁ ଏହାର ଆକୃତି ଏଭଳି ହୋଇଥିବା ଏବଂ ପରବର୍ତ୍ତୀ ସମୟରେ ଏହାର ବିବର୍ତ୍ତନ ହୋଇ ରୂପରେଖ ଏପରି ହୋଇଥିବା ଅନୁମାନ କରିଥିଲା ସର୍ବେକ୍ଷଣ ସଂସ୍ଥା। ଏବେ ଅନେକ ପର୍ଯ୍ୟଟକ, ଗବେଷକ ଓ ପରିଦର୍ଶକ ଏହି ସ୍ଥାନକୁ ଆସିବା ଆରମ୍ଭ କରିଥିବା ବେଳେ ସେମାନେ ଯେମିତି ଏହାର କୌଣସି କ୍ଷତି ନ କରନ୍ତି, ସେଥିପ୍ରତି ଯତ୍ନବାନ ହେବା ସହ ଅନ୍ୟ ଦର୍ଶନୀୟ ସ୍ଥାନ ସହ ଏହାକୁ ଯୋଡ଼ି ପର୍ଯ୍ୟଟନର ବିକାଶ କରିବାର ଆବଶ୍ୟକତା ରହିଛି। ହେଲେ ସଚେତନତା କାର୍ଯ୍ୟକ୍ରମରେ ଅଟକି ଯାଇଛି ଏହାର ସୁରକ୍ଷା ଓ ସଂରକ୍ଷଣ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *