TOP STORIESଖେଳଦେଶ- ବିଦେଶ

ଆଇପିଏଲ୍‌ ଫାଇନାଲ୍ ରେ ପଞ୍ଜାବ କିଙ୍ଗ୍ସ

ଆଇପିଏଲ୍‌ ଫାଇନାଲ୍ ରେ ପଞ୍ଜାବ କିଙ୍ଗ୍ସ

ଆଇପିଏଲ୍‌କୁ ଏଥର ନୂଆ ଚାମ୍ପିଅନ୍ ନିଶ୍ଚିତ ହୋଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ

ଅହମଦାବାଦ୍‌/ଭୁବନେଶ୍ୱର ୦୨-୦୬-୨୦୨୫(ଏସ .ଏମ ) : ଇପିଏଲ୍‌କୁ ଏଥର ନୂଆ ଚାମ୍ପିଅନ୍ ନିଶ୍ଚିତ ହୋଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ। ରବିବାର ବର୍ଷା ବିଳମ୍ବିତ ମଧ୍ୟରାତି ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ୫ ୱିକେଟ୍‌ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ ମଙ୍ଗଳବାର ଗୋଟିଏ ପୁରୁଣା ଦଳର ସ୍ବପ୍ନ ପୂରଣ ହେବାର ଗ୍ୟାରେଣ୍ଟି ମିଳିଛି। ମୁମ୍ବାଇ ଦେଇଥିବା ୨୦୪ ରନ୍ ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ ଏହାର ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ପାଳି (୪୧ ବଲ୍‌ରୁ ୮୭* ରନ୍) ବଳରେ ଗୋଟିଏ ଓଭର ପୁର୍ବରୁ ହାସଲ କରି ନେଇଥିଲା। ପଶ୍ଚାତଧାବନ ବେଳେ ବୁମ୍‌ରାଙ୍କ ଗୋଟିଏ ଓଭରରୁ ଜୋସ୍ ଇଙ୍ଗଲିସ୍ ୨୦ ରନ୍ ଏବଂ ଟପ୍‌ଲେଙ୍କ ଗୋଟିଏ ଓଭରରୁ ଆୟର ୧୯ ରନ୍ ଆଦାୟ କରିବା ଶେଷରେ ନିର୍ଣ୍ଣାୟକ ହୋଇଛି। ଅଢ଼େଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ ରାତି ୧.୩୮ରେ ସରିଥିଲେ ବି ମୋଟେରାର ଲକ୍ଷାଧିକ ଦର୍ଶକଙ୍କ ପଇସା ଅସୁଲ ହୋଇଛି।

ପୂର୍ବରୁ ମୋଟେରା ଷ୍ଟାଡିୟମ୍‌ରେ ରାତିରେ ତେଜ ଦେଖାଇଥିଲେ ସୂର୍ଯ୍ୟ। ଚଳିତ ଋତୁରେ ସୂର୍ଯ୍ୟକୁମାର ୟାଦବ ତାଙ୍କ ସମସ୍ତ ୧୫ ମ୍ୟାଚ୍‌ରେ ୨୫ରୁ ଉର୍ଧ୍ବ ରନ୍‌ର ପାଳି ଖେଳିବା ସହ ରେକର୍ଡ କରିଛନ୍ତି। ଅଣ ଓପନର୍ ଭାବେ ମଧ୍ୟ ୭୦୦ ରନ୍ ସଂଗହ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ସେ ମୋଟ ୭୧୭ ରନ୍‌ କରିଛନ୍ତି। ଏ‌ କ୍ଷେତ୍ରରେ ଆଇପିଏଲ୍‌ ଇତିହାସରେ ୧୨ତମ ଏବଂ ମୁମ୍ବାଇର ପ୍ରଥମ ଖେଳାଳି ହୋଇଛନ୍ତି। ଏଲିମିନେଟର୍‌ରେ ଦୁଇ ଥର ଜୀବନଦାନ ପାଇଁ ୮୧ ରନ୍ କରିଥିବା ରୋହିତ ଶର୍ମା ଏଥର କିନ୍ତୁ କ୍ୟାଚ୍‌ ଡ୍ରପ୍‌ରୁ ଫାଇଦା ଉଠାଇପାରି ନଥିଲେ। ମାତ୍ର ୮ ରନ୍ କରିବା ପରେ ମାର୍କସ ଷ୍ଟୋଇନିସ୍‌ଙ୍କ ଶିକାର ହୋଇ ଫେରିଥିଲେ। ସୂର୍ଯ୍ୟଙ୍କୁ ଚହଲ ଆଉଟ୍ କରି ପୂର୍ବ ଓଭର ଛକାର ପ୍ରତିଶୋଧ ନେଇଯାଇଥିଲେ। ଜନି ବେୟାରଷ୍ଟୋ (୨୪ ବଲ୍‌ରୁ ୩୮ ରନ୍) ମଧ୍ୟ ଆଉ ଏକ ଭଲ ପାଳି ଖେଳିଥିଲେ। ସୂର୍ଯ୍ୟ ଓ ତିଳକ ସମାନ ୪୪ ରନ୍ କରିବା ସହ ୭୨ ରନ୍ ଭାଗୀଦାରି ଗଢ଼ିବା ପରେ ମୁମ୍ବାଇ ୨୦୦ ରନ୍ ଟପିଥିଲା।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨୦୩/୬ (ସୂର୍ଯ୍ୟକୁମାର ୟାଦବ-୪୪, ତିଳକ ବର୍ମା-୪୪, ଜନି ବେୟାରଷ୍ଟୋ-୩୮, ନମନ ଧୀର-୩୭, ଓମରଜାଇ-୨/୪୩, ଷ୍ଟୋଇନିସ-୧/୧୪, ବିଜୟ କୁମାର ବୈଶାକ-୧/୩୦, କାଇଲ ଜାମିସନ୍‌-୧/୩୦, ୟୁଝବେନ୍ଦ୍ର ଚହଲ-୧/୩୯)। ପଞ୍ଜାବ କିଙ୍ଗ୍ସ ୧୯ ଓଭରରେ ୨୦୭/୫ (‌ଶ୍ରେୟସ୍ ଆୟର ୮୭*, ନେହାଲ୍ ୱାଢେରା-୪୮, ଜୋସ୍ ଇଙ୍ଗଲିସ୍‌-୩୮, ପ୍ରିୟାଂଶ ଆର୍ଯ୍ୟା-୨୦, ଅଶ୍ବିନୀ କୁମାର-୨/୫୫, ହାର୍ଦିକ ପାଣ୍ଡ୍ୟା-୧/୧୯, ଟ୍ରେଣ୍ଟ୍ ବୋଲ୍ଟ-୧/୩୮)।

ଫାଇନାଲ୍‌ ପୂର୍ବରୁ ଫାଇନାଲ୍‌ ଭ୍ରମ

ଚଳିତ ଆଇପିଏଲ୍‌ର ଫାଇନାଲ୍ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। କିନ୍ତୁ ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ୍‌ ରବିବାର ଫାଇନାଲ୍‌ ଖେଳାଯିବା ଭଳି ଭ୍ରମ ସୃଷ୍ଟି ହୋଇଥିଲା। ଏହାର ଗୋଟିଏ କାରଣ ଥିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ କ୍ବାଲିଫାୟୟର-୨ ପାଇଁ ଦର୍ଶକଙ୍କ ଉତ୍ସାହ ଓ ଉପସ୍ଥିତିକୁ ନେଇ। ସୁପର୍ ସଣ୍ଡେରେ ଏକ ସୁପର୍‌ ଫାଇନାଲ୍‌ ଖେଳାଯାଉଥିବାର ଅନୁଭବ ଆସିଥିଲା। ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଶଂସକଙ୍କ ଅଧିକ ସମର୍ଥନ ମିଳୁଥିଲା। ସେମାନଙ୍କ ହାତରେ ମୁମ୍ବାଇ ଇଣ୍ଡିଆନ୍ସର ପତାକା ବି ଫର ଫର ଉଡ଼ୁଥିଲା। ପ୍ରୀତି ଜିଣ୍ଟାଙ୍କ ଦଳକୁ ବି କିଛି କମ୍ ସମର୍ଥନ ମିଳୁନଥିଲା। ଅଧିକାଂଶ ଷ୍ଟାଣ୍ଡ୍‌ରେ ବି ପଞ୍ଜାବର ଲାଲ ଝଣ୍ଡାର ଉପସ୍ଥିତି ଥିଲା। ଫାଇନାଲ୍ ଦ୍ବନ୍ଦ୍ବର ଅନ୍ୟ କାରଣଟି ଥିଲା ଭିନ୍ନ। ମୋଟେରା ଷ୍ଟାଡିୟମ୍‌ ଚତୁଃପାର୍ଶ୍ବରେ ଏକାଧିକ ବଡ଼ ସ୍କ୍ରିନ୍‌ରେ ଲେଖାଥିଲା ‘ଆଇପିଏଲ୍‌ ଫାଇନାଲ୍’। କିନ୍ତୁ ପାର୍ଶ୍ବରେ ଥିଲା ହାର୍ଦିକ ପାଣ୍ଡ୍ୟା ଓ ଶ୍ରେୟସ ଆୟରଙ୍କ ତୈଳଚିତ୍ର। ଯାହାକି ଭୁଲ୍‌ରେ ରବିବାର କ୍ବାଲିଫାୟାର-୨କୁ ଫାଇନାଲ୍‌ର ଭୁଲ୍‌ ଧାରଣା ବିବେଚନା କରୁଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *