ଦୁର୍ନୀତିବାଣିଜ୍ୟରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ବିଶ୍ବ ସାଇକଲ୍‌ ଦିବସ

ବିଶ୍ବ ସାଇକଲ୍‌ ଦିବସ

ଶରୀରକୁ ସୁସ୍ଥ ରଖିବା ସହ ପରିବେଶକୁ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ପ୍ରତିବର୍ଷ ଜୁନ୍‌ ୩ ତାରିଖକୁ ବିଶ୍ବ ସାଇକଲ୍‌ ଦିବସ ଭାବେ ପାଳନ କରାଯାଉଛି

ଭୁବନେଶ୍ବର୦୩-୦୬-୨୦୨୫(ଏସ.ଏମ ) : ବିଶ୍ବ ସାଇକଲ୍‌ ଦିବସ। ଶରୀରକୁ ସୁସ୍ଥ ରଖିବା ସହ ପରିବେଶକୁ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ପ୍ରତିବର୍ଷ ଜୁନ୍‌ ୩ ତାରିଖକୁ ବିଶ୍ବ ସାଇକଲ୍‌ ଦିବସ ଭାବେ ପାଳନ କରାଯାଉଛି। ରାଜଧାନୀ ଭୁବନେଶ୍ବରରେ ସାଇକଲ୍‌କୁ ଲୋକପ୍ରିୟ କରିବା ପାଇଁ ବିଭିନ୍ନ ଉଦ୍ୟମ ହୋଇଚି। କିନ୍ତୁ ଆନ୍ତରିକତାର ଅଭାବ ଓ ଉପଯୁକ୍ତ ନିଷ୍ପତ୍ତି ନେବାରେ ବିଫଳତା ଯୋଗୁ ରାଜଧାନୀରେ ‌ ବିଫଳ ହୋଇଛି। ୨୦୧୮ ନଭେମ୍ବରରେ ଆରମ୍ଭ ହୋଇଥିଲା ‘ମୋ ସାଇକଲ୍‌’ ଯୋଜନା। ଏଥିପାଇଁ ସହରରେ ସାଇକଲ୍‌ ଟ୍ରାକ୍‌ ସହ ପ୍ରସ୍ତୁତ ହେଲା ସାଇକଲ୍‌ ରହଣୀ ସ୍ଥାନ। ହେଲେ ଆଜି ୭ ବର୍ଷ ପରେ ସେ ସାଇକଲ୍‌ ରହଣୀ ସ୍ଥାନ ବାଇକ୍‌ ପାର୍କିଂରେ ପରିଣତ ହୋଇଯାଇଛି। ଏଥିସହ ସାଇକଲ୍‌୍‌ ଟ୍ରାକ୍‌ ଏବେ ଜବଲଦଖଲକାରୀଙ୍କ ଅଧୀନରେ ଅଛି। ବାକି ରହିଲା ସାଇକଲ୍‌ କଥା, ଯାହା ଯେତିକି ସାଇକଲ୍‌ ଥିଲା ସେ ସବୁ ଜାନୁଆରି ମାସରେ ଆୟୋଜିତ ‘ପ୍ରବାସୀ ଭାରତୀୟ ସମ୍ମିଳନୀ’ ସମୟରେ ଉଠାଇ ନେଇଥିଲେ ଭୁବନେଶ୍ବର ସ୍ମାର୍ଟ ସିଟି କର୍ତ୍ତୃପକ୍ଷ। ପ୍ରବାସୀ ଭାରତୀୟ ଦିବସ ସରି ୫ ମାସ ଉପରେ ହେଲାଣି କିନ୍ତୁ ଏଯାଏ ଷ୍ଟାଣ୍ଡ୍‌କୁ ଫେରିନି ସାଇକଲ୍‌। ବାସ୍ତବରେ ଏଥିରୁ ଅଧାରୁ ଅଧିକ ସାଇକଲ୍‌୍‌ ନଷ୍ଟ ହୋଇଯାଇଛି। ଏଣୁ ଏହାକୁ ଏବେ କ’ଣ କରାଯିବ ସେ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ, ସାଇକଲ୍‌ ସବୁ ବର୍ଷା, ଖରା ଖାଇ ସହିନନଗର ଡିପୋରେ ଖତହେଉଛି। ୭ ବର୍ଷରେ ସାଇକଲ୍‌ ନାଁରେ ଖାଲି ଯାହା ୭ କୋଟି ଟଙ୍କା ପାଣିରେ ପଡ଼ିଲା।

‘ମୋ ସାଇକେଲ’ ଯୋଜନାରେ ପାଣିରେ ପଡ଼ିଲା ୭ କୋଟି
ଟ୍ରାକ୍‌ ନାହିଁ କି ସାଇକେଲ ନାହିଁ

ସୂଚନା ଅନୁସାରେ, ଭୁବନେଶ୍ବରରେ ଯେଉଁ ସବୁ ମଡେଲ୍‌ ସାଇକଲ୍‌ ଭଲ ଚାଲିଥିଲା ଓ ୧୦ ହଜାର ଟଙ୍କାରେ ମିଳୁଥିଲା; ସେହି ସମୟରେ କ୍ରୁଟ୍‌ ଗୋଟାକୁ ୨୫ ହଜାର ଟଙ୍କା ଦେଇ ‘ମୋ ସାଇକଲ୍‌୍‌’ କିଣିଥିଲା। ୨ ହଜାର ସାଇକଲ୍‌୍‌ କିଣିବାକୁ ୫ କୋଟି ଓ ରକ୍ଷଣାବେକ୍ଷଣରେ ୨ କୋଟି, ଏଭଳି ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ସାଇକଲ୍‌୍‌ଗୁଡ଼ିକ ଏଭଳି ଡିଜାଇନ୍‌ର ଥିଲା ଯେ ଯିଏ ଥରେ ଚଲେଇଲା, ଆଉ ଚଲାଇବାକୁ ଇଚ୍ଛା କଲାନି। ବ୍ୟବହାରକାରୀଙ୍କ ଅଭିଯୋଗ ଥିଲା କି ସାଇକଲ୍‌୍‌ର ସିଟ୍‌, ହାଣ୍ଡେଲ୍‌ ଓ ପାଡେଲ୍‌ରେ ସମସ୍ୟା ରହିଥିଲା। ଭୁବନେଶ୍ବରର ଅଧିକାଂଶ ଅଞ୍ଚଳର ଭୌଗୋଳିକ ସ୍ଥିତି ଯୋଗୁ ସାଇକଲ୍‌୍‌ ଚଳାଇବା କଷ୍ଟକର ହୋଇଥିଲା। ଉଠାଣି ଅଞ୍ଚଳରେ ସାଇକଲ୍‌ ଚଳାଇବା ସହଜ ନଥିଲା। ଏଥିସହ ଅନେକ ସମୟରେ ସଫ୍ଟୱେର ଫେଲ୍‌ ମାରୁଥିବାରୁ ସାଇକଲ୍‌୍‌ର ଡିଜିଟାଲ୍‌ ଲକ୍‌ ଖୋଲୁନଥିଲା। ଫଳରେ ଏହାର ବ୍ୟବହାର କମିବାରେ ଲାଗିଥିଲା। ଠିକ୍‌ ସେତିକି ବେଳେ କ୍ରୁଟ୍‌ ଏହି ପ୍ରକଳ୍ପକୁ ସ୍ମାର୍ଟ ସିଟି ଲିମିଟେଡ୍‌କୁ ହସ୍ତାନ୍ତର କରିଦେଇଥିଲା। ସେବେଠାରୁ ଏହି ସାଇକଲ୍‌୍‌ ଆଉ ଚାଲି ନାହିଁ।

ଅନ୍ୟପଟେ, କର୍ପୋରେଟର ନୃପେଶ କୁମାର ନାୟକ ୨୦୨୩ ମସିହା ଜାନୁଆରି ମାସ କର୍ପୋରେସନ ବୈଠକରେ ଏହି ସାଇକଲ୍‌୍‌କୁ ସଜାଡ଼ି, ଅଏଲିଂ କରି ବସ୍ତିପିଲା କିମ୍ବା ଗରିବ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଦେବାକୁ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବା ସହ ଅଧିକ ସାଇକଲ୍‌୍‌ ଟ୍ରାକ୍‌ ପ୍ରସ୍ତୁତ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଥିଲା। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ମାର୍ଟ ସିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କର୍ପୋରେସନର ଏଭଳି ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଥିଲା। ତା’ ସହ ଏହା କିଭଳି ଲୋକପ୍ରିୟ ହେବ ସେ ନେଇ ଏକ ଏସ୍‌ଓପି ପ୍ରସ୍ତୁତ କରିବାକୁ ଘୋଷଣା କରିଥିଲା। ହେଲେ ଏ ଯାବତ୍‌ କୌଣସି ବ୍ୟବସ୍ଥା ହୋଇପାରିନାହିଁ। ନା କର୍ପୋରେଟର୍‌ଙ୍କ ପ୍ରସ୍ତାବ ଅନୁସାରେ ଏହା ବସ୍ତିପିଲା ପାଇଲେ, ନା ଏହା ନୂଆ ରୂପରେ ରାଜରାସ୍ତାକୁ ଆସିଲା। ଏନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ତ୍ତମାନ ଆଲୋଚନା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ଆଗକୁ ଏନେଇ ଭଲ ଭାବେ ଆଲୋଚନା କରି କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *